ଆପଣଙ୍କ ପ୍ରଶ୍ନ
କʼଣ ପ୍ରାନ୍ତରରେ ଇସ୍ରାଏଲୀୟମାନଙ୍କ ପାଖରେ ଖାଇବା ପାଇଁ ମାନ୍ନା ଆଉ ଭାଟୋଇ ପକ୍ଷୀ ଛଡ଼ା ଆଉ ବି କିଛି ଥିଲା ?
ପ୍ରାନ୍ତରରେ ୪୦ ବର୍ଷ ଯାଏଁ ଇସ୍ରାଏଲୀୟମାନେ ବିଶେଷ କରି ମାନ୍ନା ହିଁ ଖାଇଲେ । (ଯାତ୍ରା. ୧୬:୩୫) ଦୁଇଥର ଯିହୋବା ସେମାନଙ୍କୁ ଖାଇବା ପାଇଁ ଭାଟୋଇ ପକ୍ଷୀ ମଧ୍ୟ ଦେଲେ । (ଯାତ୍ରା. ୧୬:୧୨, ୧୩; ଗଣ. ୧୧:୩୧) କିନ୍ତୁ ଇସ୍ରାଏଲୀୟମାନଙ୍କ ପାଖରେ ଖାଇବା ପାଇଁ ଆହୁରି ବି କିଛି ଜିନିଷ ଥିଲା ।
ଯେପରି ବାଇବଲରେ ଦିଆଯାଇଛି ଯେ ଯିହୋବା ବେଳେବେଳେ ନିଜ ଲୋକମାନଙ୍କୁ ‘ବିଶ୍ରାମ ସ୍ଥାନଗୁଡ଼ିକରେ’ ନେଇଯାଉଥିଲେ, ଯେଉଁଠି ସେମାନଙ୍କୁ ପାଣି ଆଉ ଖାଇବା ପାଇଁ କିଛି ଜିନିଷ ମିଳିଯାଉଥିଲା । (ଗଣ. ୧୦:୩୩) ଥରେ ସେ ସେମାନଙ୍କୁ ଏଲୀମ ନାମକ ସବୁଜପୂର୍ଣ୍ଣ ଜାଗାରେ ନେଇଗଲେ, “ସେଠାରେ ଜଳର ବାର ନିର୍ଝର ଓ ସତୁରି ଖର୍ଜ୍ଜୁର ବୃକ୍ଷ ଥିଲା ।” (ଯାତ୍ରା. ୧୫:୨୭) ବାଇବଲ ସମୟର ଗଛଲତା (ଇଂରାଜୀ) ନାମକ ବହିରେ ଲେଖାଅଛି ଯେ ଖଜୁରୀ ଗଛ ଅନେକ ଜାଗାରେ ଅଛି ଆଉ ମରୁଭୂମିରେ ଲକ୍ଷ ଲକ୍ଷ ଲୋକ ଅଧିକାଂଶ ଏହି ଫଳକୁ ଖାଆନ୍ତି, ଏଥିରୁ ତେଲ ବାହାର କରନ୍ତି ଏବଂ ଏହାର ଆଶ୍ରୟ ମଧ୍ୟ ନିଅନ୍ତି ।
ହୁଏତ ଇସ୍ରାଏଲୀୟମାନେ ସେହି ବଡ଼ ସବୁଜପୂର୍ଣ୍ଣ ଜାଗାରେ ରହିଥିବେ, ଯାହା ଆଜି ଫେରନ୍ ୱାଦିର ଭାଗ ଅଟେ । ଗୋଟିଏ ବହି (ଡିସ୍କୱରିଙ୍ଗ୍ ଦ ୱଲ୍ଡ ଅଫ୍ ଦ ବାଇବଲରେ) ଲେଖାଅଛି, ଏହି ୱାଦି କିମ୍ବା ନଦୀର ଘାଟି “୧୩୦ କିଲୋମିଟର [୮୧ ମିଲ୍] ଲମ୍ବା ଅଛି ଏବଂ ସିନୟର ଯେଉଁ ୱାଦିଗୁଡ଼ିକ ଅଛି, ସେମଧ୍ୟରୁ ଏହା ବହୁତ ଲମ୍ବା, ସୁନ୍ଦର ଓ ଜଣାଶୁଣା ଅଟେ ।” ଏଥିରେ ଏହା ବି ଲେଖାଅଛି, “ଯେଉଁଠାରେ ଏହି ୱାଦି ସମୁଦ୍ର ସହ ମିଳିତ ହୁଏ, ସେଠାରୁ ୪୫ କିଲୋମିଟର [୨୮ ମିଲ୍] ଦୂର ଫେରନ୍ ନାମକ ସବୁଜପୂର୍ଣ୍ଣ ଜାଗା ଅଛି । ଏହି ଜାଗା ସମୁଦ୍ର ତଳରୁ ୨,୦୦୦ ଫୁଟର [୬୧୦ ମିଲ୍] ଉଚ୍ଚରେ ଅଛି ଏବଂ ୪.୮ କିଲୋମିଟର [୩ ମିଲ୍] ଲମ୍ବା ଅଛି । ଯେଉଁ ପଟେ ବି ଦେଖିଲେ ଖଜୁରୀ ଗଛ ହିଁ ଦେଖିବାକୁ ମିଳେ । ଏହି ଜାଗା ଏତେ ସୁନ୍ଦର ଅଛି ଯେ ଏହାକୁ ସିନୟର ଏଦନ ବଗିଚା କୁହାଯାଏ । ଅନେକ ବର୍ଷରୁ ଦେଖାଯାଇଛି ଯେ ଖଜୁରୀର ହଜାର ହଜାର ଗଛଗୁଡ଼ିକ ଯୋଗୁଁ ଲୋକେ ଆସି ଏଠାରେ ବସବାସ କରନ୍ତି ।”
ଯେବେ ଇସ୍ରାଏଲୀୟମାନେ ମିସର ଛାଡ଼ିଲେ, ତେବେ ସେମାନେ ନିଜ ସହିତ ଚକଟା ହୋଇଥିବା ଅଟା, ଅଟା ଦଳିବା ପାତ୍ର ଏବଂ ହୁଏତ କିଛି ଶଷ୍ୟ ଆଉ ତେଲ ମଧ୍ୟ ନେଇଯାଇଥିଲେ । କିନ୍ତୁ ଏହି ଜିନିଷଗୁଡ଼ିକ ବେଶି ଦିନ ଯାଏ ରହି ନ ଥିବ । ବାଇବଲରେ ଏହା ମଧ୍ୟ କୁହାଯାଇଛି ଯେ ଲୋକମାନେ “ମେଷଗବାଦି ଅନେକ ଅନେକ ପଶୁ ସେମାନଙ୍କ ସହିତ ପ୍ରସ୍ଥାନ କଲେ ।” (ଯାତ୍ରା. ୧୨:୩୪-୩୯) ପ୍ରାନ୍ତରରେ ପରିସ୍ଥିତି ବହୁତ କଷ୍ଟଭରା ରହିଥିବ, ଏହା ଯୋଗୁଁ ହୁଏତ ଅନେକ ପଶୁ ମରିଯାଇଥିବେ । ହୁଏତ କିଛିକୁ ଇସ୍ରାଏଲୀୟମାନେ ଖାଇ ପକାଇଥିବେ ଏବଂ କିଛିକୁ ବଳି ଚଢ଼ାଇ ଦେଇଥିବେ, ହୁଏତ ମିଥ୍ୟା ଦେବାଦେବୀମାନଙ୍କ ଆଗରେ ମଧ୍ୟ । a (ପ୍ରେରି. ୭:୩୯-୪୩) ତଥାପି ଇସ୍ରାଏଲୀୟମାନଙ୍କ ପାଖରେ କିଛି ପଶୁ ତ ରହିଥିବେ ଏବଂ ସେହି ପଶୁମାନଙ୍କ ଛୁଆ ମଧ୍ୟ ହୋଇଥିବ । ଏହା ଆମେ ସେହି କଥାରୁ ଜାଣିପାରିବା ଯାହା ଯିହୋବା ଇସ୍ରାଏଲୀୟମାନଙ୍କୁ ସେସମୟରେ କହିଥିଲେ ଯେବେ ସେମାନେ ତାଙ୍କ ଉପରେ ବିଶ୍ୱାସ କରି ନ ଥିଲେ: “ତୁମ୍ଭମାନଙ୍କ ସନ୍ତାନଗଣ ଚାଳିଶ ବର୍ଷ ଏହି ପ୍ରାନ୍ତରରେ” ପଶୁମାନଙ୍କୁ ଚରାଇବେ । (ଗଣ. ୧୪:୩୩) ହୁଏତ ଏହି ପଶୁମାନଙ୍କଠାରୁ ସେମାନଙ୍କୁ କ୍ଷୀର ମିଳୁଥିବ ଏବଂ ହୁଏତ ସେମାନେ ବେଳେବେଳେ ସେମାନଙ୍କର ମାଂସ ମଧ୍ୟ ଖାଉଥିବେ । କିନ୍ତୁ ଏହି ପଶୁଗୁଡ଼ିକ ଏତେ ବେଶି ବି ହୋଇ ନ ଥିବେ ଯେ ୪୦ ବର୍ଷ ଯାଏଁ ପ୍ରାୟ ୩୦ ଲକ୍ଷ ଲୋକଙ୍କ ପେଟ ପୂରିଥିବ । b
ପ୍ରାନ୍ତରରେ ପଶୁମାନେ କʼଣ ଖାଇଥିବେ ଏବଂ ସେମାନଙ୍କୁ ପାଣି କେଉଁଠୁ ମିଳୁଥିବ ? c ଆଜି ଅପେକ୍ଷା ସେସମୟରେ ହୁଏତ ପ୍ରବଳ ବର୍ଷା ହେଉଥିଲା ଏବଂ ଏହା ଯୋଗୁଁ ସେଠାରେ ଗଛଲତା ମଧ୍ୟ ବହୁତ ଥିଲା । ଇନସାଇଟ୍ ଓନ ଦା ସ୍କ୍ରିପଚରସ୍, ଭାଗ ୧ରେ ଲେଖାଅଛି ଯେ ଆଜିଠୁ ୩,୫୦୦ ବର୍ଷ ପୂର୍ବେ “ଆରବରେ ଅଧିକ ପାଣି ରହୁଥିଲା । ଆମେ ଏପରି କାହିଁକି କହିପାରିବା ? ଆଜି ସେଠାରେ ଅନେକ ଶୁଷ୍କ ଏବଂ ଗଭୀର ୱାଦିଗୁଡ଼ିକ କିମ୍ବା ଘାଟିଗୁଡ଼ିକ ଅଛି । ଏହା ଏହାର ପ୍ରମାଣ ଅଟେ ଯେ ପୂର୍ବେ ସେଠାରେ ଏତେ ବର୍ଷା ହେଉଥିଲା ଯେ ନଦୀଗୁଡ଼ିକ ବହିବାକୁ ଲାଗୁଥିଲା ।” ତଥାପି ସେହି ପ୍ରାନ୍ତରରେ କିଛି ବି ଫସଲ ହେଉ ନ ଥିଲା ଏବଂ ତାହା ବହୁତ ଭୟଙ୍କର ଥିଲା । (ଦ୍ୱିବି. ୮:୧୪-୧୬) ଯଦି ଯିହୋବା ଚମତ୍କାର କରି ସେମାନଙ୍କୁ ପାଣି ଦେଇ ନ ଥାʼନ୍ତେ, ତେବେ ଇସ୍ରାଏଲୀୟ ଏବଂ ସବୁ ପଶୁମାନଙ୍କ ମୃତ୍ୟୁ ହୋଇଯାʼନ୍ତା ।—ଯାତ୍ରା. ୧୫:୨୨-୨୫; ୧୭:୧-୬; ଗଣ. ୨୦:୨, ୧୧.
ମୋଶା ଇସ୍ରାଏଲୀୟମାନଙ୍କୁ କହିଥିଲେ ଯେ ଯିହୋବା ସେମାନଙ୍କୁ ସେଥିପାଇଁ ମାନ୍ନା ଦେଲେ କାରଣ ସେମାନେ ଜାଣିପାରନ୍ତୁ ଯେ “ମନୁଷ୍ୟ ଯେ କେବଳ ରୋଟୀରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ଯାହା ନିର୍ଗତ ହୁଏ, ତହିଁରେ ହିଁ ବଞ୍ଚେ ।”—ଦ୍ୱିବି. ୮:୩.
a ବାଇବଲରେ କୁହାଯାଇଛି ଯେ ଇସ୍ରାଏଲୀୟମାନେ ପ୍ରାନ୍ତରରେ ଯିହୋବାଙ୍କ ପାଇଁ ଦୁଇଥର ପଶୁ ବଳି କରିଥିଲେ । ପ୍ରଥମ ଥର ଯେବେ ହାରୋଣ ଓ ତାଙ୍କ ପୁଅମାନଙ୍କୁ ଯାଜକ ପଦର ଦାୟିତ୍ୱ ଦିଆଗଲା ଏବଂ ଦ୍ୱିତୀୟ ଥର ନିସ୍ତାର ପର୍ବ ସମୟରେ । ଏସବୁ ଇସ୍ରାଏଲୀୟମାନେ ମିସର ଛାଡ଼ିବାର ପ୍ରାୟ ବର୍ଷେ ପରେ ଅର୍ଥାତ ଖ୍ରୀଷ୍ଟ ପୂର୍ବ ୧୫୧୨ ମସିହାରେ ହୋଇଥିଲା ।—ଲେବୀ. ୮:୧୪–୯:୨୪; ଗଣ. ୯:୧-୫.
b ଯେବେ ପ୍ରାନ୍ତରରେ ଇସ୍ରାଏଲୀୟମାନଙ୍କ ୪୦ ବର୍ଷର ଯାତ୍ରା ଶେଷ ହେବାକୁ ଯାଉଥିଲା, ତେବେ ସେମାନେ ଯୁଦ୍ଧ ପରେ ହଜାର ହଜାର ପଶୁଗୁଡ଼ିକୁ ଲୁଟି ନେଲେ । (ଗଣ. ୩୧:୩୨-୩୪) ତଥାପି ଯେବେ ଯାଏଁ ସେମାନେ ପ୍ରତିଜ୍ଞାତ ଦେଶରେ ପହଞ୍ଚିଲେନି, ସେମାନେ ମାନ୍ନା ହିଁ ଖାଉଥିଲେ ।—ଯିହୋ. ୫:୧୦-୧୨.
c ଏହାର କୌଣସି ପ୍ରମାଣ ନାହିଁ ଯେ ପଶୁମାନେ ମଧ୍ୟ ମାନ୍ନା ଖାଇଲେ, କାରଣ ଇସ୍ରାଏଲୀୟମାନଙ୍କୁ କୁହାଯାଇଥିଲା ଯେ ସେମାନେ ସେତେ ହିଁ ମାନ୍ନା ରଖନ୍ତୁ ଯେତେକି ପ୍ରତ୍ୟେକ ବ୍ୟକ୍ତି ଖାଇପାରିବେ ।—ଯାତ୍ରା. ୧୬:୧୫, ୧୬.