इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୋଟିଏ ଭଲ ଭବିଷ୍ୟତର ପ୍ରତିଜ୍ଞା

ଗୋଟିଏ ଭଲ ଭବିଷ୍ୟତର ପ୍ରତିଜ୍ଞା

ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ସେ ଗୋଟିଏ ଭଲ ଭବିଷ୍ୟତ ଦେବେ । ସେ କହିଛନ୍ତି ଯେ ଖୁବ୍‌ ଶୀଘ୍ର ଦୁଃଖକଷ୍ଟ ଦୂର ହେବ ଏବଂ ମଣିଷ ପୃଥିବୀରେ ଖୁସିରେ ବଞ୍ଚିବେ । (ଗୀତସଂହିତା ୩୭:୧୧) ଈଶ୍ୱର ତାଙ୍କ ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ କାରଣ ‘ସେ ମନୁଷ୍ୟ ନୁହଁନ୍ତି ଯେ, ସେ ମିଥ୍ୟା କହିବେ ।’ (ଗଣନା ପୁସ୍ତକ ୨୩:୧୯) ଆସନ୍ତୁ ଜାଣିବା ଯେ ଆଗକୁ ଯାଇ ସେ କʼଣ କʼଣ କରିବେ ।

ଈଶ୍ୱର ଦୁଷ୍ଟଲୋକମାନଙ୍କୁ ବିନାଶ କରିଦେବେ

“ଯେତେବେଳେ ଦୁଷ୍ଟଗଣ ତୃଣ ପରି ଅଙ୍କୁରିତ ଓ ଅଧର୍ମାଚାରୀମାନେ ପ୍ରଫୁଲ୍ଲ ହୁଅନ୍ତି, ସେତେବେଳେ ସେମାନଙ୍କ ନିତ୍ୟସ୍ଥାୟୀ ବିନାଶ ନିମନ୍ତେ ସେପରି ହୁଏ ।”—ଗୀତସଂହିତା ୯୨:୭.

ପବିତ୍ର ଶାସ୍ତ୍ରରେ ବହୁତ ଆଗରୁ କୁହାଯାଇଥିଲା ଯେ ଦୁନିଆର “ଶେଷକାଳରେ” ଲୋକମାନେ ବହୁତ ଖରାପ କାମ କରିବେ । (୨ ତୀମଥି ୩:୧-୫) ପୂର୍ବ ଲେଖାରେ ଆମେ ଦେଖିଲୁ ଯେ ଆଜି ବିଲକୁଲ୍‌ ଏପରି ହିଁ ହେଉଛି । ଦୁଷ୍ଟତା ବଢ଼ି ବଢ଼ି ଯାଉଛି । ଖୁବ୍‌ ଶୀଘ୍ର ଈଶ୍ୱର ଏହି ଦୁନିଆର ସବୁ ଦୁଷ୍ଟ ଲୋକମାନଙ୍କୁ ବିନାଶ କରିଦେବେ । ତାʼପରେ ଏହି ପୃଥିବୀରେ କେବଳ ଭଲ ଲୋକମାନେ ରହିବେ ଅର୍ଥାତ୍‌ ସେହି ଲୋକମାନେ, ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ମାନନ୍ତି । ଶାସ୍ତ୍ରରେ ଲେଖାଅଛି, “ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ ।”—ଗୀତସଂହିତା ୩୭:୨୯.

ଈଶ୍ୱର ଶୟତାନକୁ ବିନାଶ କରିଦେବେ

“ଶାନ୍ତିଦାତା ଈଶ୍ୱର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ ।”—ରୋମୀୟ ୧୬:୨୦.

ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ଖୁବ୍‌ ଶୀଘ୍ର ଏପରି ସମୟ ଆସିବ, ଯେବେ ଆମକୁ କାହାରି ଡର ନ ଥିବ । କାରଣ ସେସମୟରେ ଶୟତାନ ନ ଥିବ, ଦୁଷ୍ଟଦୂତମାନେ ନ ଥିବେ ଏବଂ ଖରାପ ଲୋକମାନେ ମଧ୍ୟ ନ ଥିବେ । ପୃଥିବୀରେ ଚାରିଆଡ଼େ ଶାନ୍ତି ଥିବ ।—ମୀଖା ୪:୪.

ଈଶ୍ୱର ରୋଗ ଓ ମୃତ୍ୟୁକୁ ସମାପ୍ତ କରିଦେବେ

‘ଈଶ୍ୱର ମଣିଷମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ।’—ପ୍ରକାଶିତ ବାକ୍ୟ ୨୧:୪.

ଶୟତାନ, ଆଦମ ଓ ହବା ଯୋଗୁଁ ଆମକୁ ଯେଉଁ ଦୁଃଖକଷ୍ଟ ସହିବାକୁ ପଡ଼ୁଛି, ଈଶ୍ୱର ତାହା ପୂରାପୂରି ସମାପ୍ତ କରିଦେବେ । ତାʼପରେ କେହି ରୋଗରେ ପଡ଼ିବେ ନାହିଁ ଏବଂ ମୃତ୍ୟୁ ମଧ୍ୟ ହେବ ନାହିଁ । ଯେଉଁ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ମାନନ୍ତି ଏବଂ ତାଙ୍କ ଭକ୍ତି କରନ୍ତି, ସେମାନେ ସବୁଦିନ ପାଇଁ ଜୀଇଁବେ । କିନ୍ତୁ କେଉଁଠି ?

ଈଶ୍ୱର ଏହି ପୃଥିବୀକୁ ସୁନ୍ଦର ବଗିଚା କରିଦେବେ

‘ପ୍ରାନ୍ତର ଓ ଶୂନ୍ୟସ୍ଥାନ ଆନନ୍ଦିତ ହେବ; ଆଉ, ମରୁଭୂମି ଉଲ୍ଲସିତ ହୋଇ କେଶର ତୁଲ୍ୟ ପ୍ରଫୁଲ୍ଲ ହେବ ।’—ଯିଶାଇୟ ୩୫:୧.

ଯେବେ ଈଶ୍ୱର ଦୁଷ୍ଟମାନଙ୍କୁ ବିନାଶ କରିଦେବେ, ତେବେ ଏହି ପୃଥିବୀ ସଫାସୁତୁରା ଓ ସୁନ୍ଦର ହୋଇଯିବ । ଜାଗା ଜାଗାରେ ସୁନ୍ଦର ବଗିଚାଗୁଡ଼ିକ ଥିବ ଏବଂ ଖାଇବାର କୌଣସି ଅଭାବ ହେବ ନାହିଁ । (ଗୀତସଂହିତା ୭୨:୧୬) ସମୁଦ୍ର ଓ ନଦୀର ପାଣି ପୂରା ସଫା ରହିବ ଏବଂ ସେଥିରେ ଅନେକ ଜୀବ ରହିବେ । ପାଣି ଓ ପବନ ସଫା ରହିବ ଏବଂ ପ୍ରଦୂଷଣ ରହିବ ନାହିଁ । ଆମେ ସମସ୍ତେ ନିଜ ନିଜ ଘର ତିଆରି କରିବା ଏବଂ ସେଥିରେ ରହିବା । କେହି ଭୋକରେ ରହିବେ ନାହିଁ ଏବଂ କେହି ମଧ୍ୟ ଗରିବ ନ ଥିବେ ।—ଯିଶାଇୟ ୬୫:୨୧, ୨୨.

ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି, ଈଶ୍ୱର ସେମାନଙ୍କୁ ଜୀବିତ କରିବେ

“ମରିଯାଇଥିବା ଲୋକମାନଙ୍କୁ ଜୀବିତ କରାଯିବ ।”—ପ୍ରେରିତ ୨୪:୧୫, NWT. 

କʼଣ ଆପଣ ନିଜ ସମ୍ପର୍କୀୟଙ୍କୁ କିମ୍ବା ସାଙ୍ଗମାନଙ୍କୁ ମୃତ୍ୟୁରେ ହରାଇଛନ୍ତି ? କʼଣ ଆପଣ ସେମାନଙ୍କ ସହ ପୁଣି ଭେଟିବାକୁ ଚାହାନ୍ତି ? ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ଖୁବ୍‌ ଶୀଘ୍ର ସେମାନଙ୍କୁ ଏହି ପୃଥିବୀରେ ଜୀବିତ କରିବେ । ଯେବେ ଆପଣ ସେମାନଙ୍କ ସହ ଭେଟିବେ, ତେବେ ଆପଣ ପରସ୍ପରକୁ ଚିହ୍ନିପାରିବେ । ଭାବନ୍ତୁ ସେହି ସମୟରେ ଆପଣଙ୍କୁ କେତେ ଖୁସି ଲାଗିବ । ଆପଣ ଈଶ୍ୱରଙ୍କ ଏହି ପ୍ରତିଜ୍ଞା ଉପରେ ପୂରା ଭରସା କରିପାରିବେ, କାରଣ ପ୍ରାଚୀନ ସମୟରେ କିଛି ଲୋକମାନଙ୍କୁ ଜୀବିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ କିଛି ବଡ଼ ଲୋକ ଥିଲେ ଏବଂ କିଛି ଛୋଟ ପିଲାମାନେ ଥିଲେ । ଏପରି ସତରେ ହୋଇଥିଲା, କାରଣ ଈଶ୍ୱରଙ୍କ ପୁଅ ଯୀଶୁ ଅନେକ ଲୋକଙ୍କୁ ଜୀବିତ କରିଥିଲେ ତାହା ମଧ୍ୟ ଅନେକ ଲୋକଙ୍କ ସାମନାରେ । ଜୀବିତ ହେବା ପରେ ସେମାନେ ନିଜ ପରିବାର ସହ ରହିବାକୁ ଲାଗିଲେ ।—ଲୂକ ୮:୪୯-୫୬; ଯୋହନ ୧୧:୧୧-୧୪, ୩୮-୪୪.