ଭାଗ ୭
ଈଶ୍ୱର ଇସ୍ରାଏଲ ସନ୍ତାନମାନଙ୍କୁ ଉଦ୍ଧାର କଲେ
ଯିହୋବା ମିସରୀୟମାନଙ୍କ ଉପରେ ମହାମାରୀ ଆଣିଲେ ଏବଂ ମୋଶାଙ୍କ ନେତୃତ୍ୱରେ ଇସ୍ରାଏଲର ସନ୍ତାନ ସେହି ଦେଶରୁ ବାହାରି ଆସିଲେ । ଈଶ୍ୱର ମୋଶାଙ୍କ ଦ୍ୱାରା ଇସ୍ରାଏଲୀୟଙ୍କୁ ନିୟମ ଦେଲେ
ବହୁ ବର୍ଷ ଧରି, ଇସ୍ରାଏଲ ସନ୍ତାନମାନେ ମିସରରେ ରହିଆସୁଥିଲେ, ସେମାନଙ୍କର ଜନସଂଖ୍ୟା ବଢ଼ିବା ସହ ସେମାନେ ସମୃଦ୍ଧିଶୀଳ ହେଉଥିଲେ । ସମୟାନୁକ୍ରମେ, ଜଣେ ନୂତନ ଫାରୋ ଶାସନ କରିବାକୁ ଆରମ୍ଭ କଲେ । ଯିଏ କି ଯୋଷେଫଙ୍କୁ ଜାଣି ନ ଥିଲେ । ଇସ୍ରାଏଲମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାର ଦେଖି, ଭୟଭୀତ ହୋଇ ଏହି ଦୁଷ୍ଟ ଶାସକ ସେମାନଙ୍କୁ କ୍ରୀତଦାସ କଲେ ଏବଂ ସମସ୍ତ ନୂତନ ଜାତ ପୁତ୍ର ସନ୍ତାନମାନଙ୍କୁ ନୀଳନଦୀରେ ବୁଡ଼େଇ ମାରି ଦେବା ପାଇଁ ଆଦେଶ ଦେଲେ । କିନ୍ତୁ ଜଣେ ଦୁଃସାହସୀ ମାʼ ନିଜ ଶିଶୁ ପୁତ୍ରଟିକୁ ରକ୍ଷା କରିବାକୁ ଯାଇ ଗୋଟିଏ ବାକ୍ସରେ ନେଇ ନଳବଣରେ ଲୁଚାଇ ରଖିଲେ । ଫାରୋଙ୍କ ଝିଅ ସେହି ଶିଶୁକୁ ପାଇଲେ । ତାହାକୁ ରାଜ ପ୍ରାସାଦକୁ ନେଇ ତାʼ ନାମ ମୋଶା ରଖିଲେ ଓ ତାʼର ଲାଳନ ପାଳନ କରି ବଡ଼ କଲେ ।
ମୋଶା ଯେତେବେଳେ ୪୦ବର୍ଷର ହେଲେ, ଦିନେ ସେ ଜଣେ ଇସ୍ରାଏଲୀୟ କ୍ରୀତଦାସକୁ ମିସରୀୟ କର୍ମକର୍ତ୍ତାଙ୍କ ଉପଦ୍ରବରୁ ରକ୍ଷା କରିବାକୁ ଯାଇ ସମସ୍ୟାରେ ପଡ଼ିଲେ । ସେ ନିର୍ବାସିତ ହୋଇ ଗୋଟିଏ ଦୂର ଦେଶକୁ ପଳେଇ ସେଠାରେ ବାସ କଲେ । ମୋଶାଙ୍କ ଯେତେବେଳେ ୮୦ବର୍ଷ ହେଲା, ଯିହୋବା ତାʼଙ୍କ ଲୋକଙ୍କ ମୁକ୍ତି ପାଇଁ ଫାରୋଙ୍କ ନିକଟରେ ଦାବି କରିବାକୁ ମୋଶାଙ୍କୁ ପୁଣିଥରେ ମିସରକୁ ପଠାଇଲେ ।
ଫାରୋ, ଇସ୍ରାଏଲମାନଙ୍କୁ ଯିବା ପାଇଁ ଛାଡ଼ିଲେ ନାହିଁ । ତେଣୁ, ଈଶ୍ୱର ମିସର ଦେଶ ଉପରେ ଦଶଟି ମହାମାରୀ ଆଣିଲେ । ମୋଶା, ଯେତେ ଥର ଆଗାମୀ ମହାମାରୀକୁ ଏଡ଼ାଇବାର ସୁଯୋଗ ନେଇ ଫାରୋଙ୍କ ନିକଟକୁ ଗଲେ, ସେତେ ଥର ଫାରୋ ମୋଶା ଓ ତାʼଙ୍କ ଈଶ୍ୱର ଯିହୋବାଙ୍କୁ ଉପେକ୍ଷା କରି ଚାଲିଲେ । ଶେଷରେ, ସମସ୍ତ ପ୍ରଥମ ଜାତ ସନ୍ତାନଙ୍କୁ ମାରିବା ପାଇଁ ଦଶମ ମହାମାରୀ ଆସିଲା, ଈଶ୍ୱରଙ୍କ ଆଜ୍ଞା ଅନୁସାରେ ଯେଉଁମାନେ ମେଷବଳିର ରକ୍ତକୁ ନିଜ ଦ୍ୱାରବନ୍ଧରେ ଲଗାଇଥିଲେ, କେବଳ ସେହି ପରିବାରଗୁଡ଼ିକର ସନ୍ତାନମାନେ ରକ୍ଷା ପାଇଲେ । ଈଶ୍ୱରଙ୍କ ଧ୍ୱଂସକାରୀ ସ୍ୱର୍ଗଦୂତ ସେହି ପରିବାରଗୁଡ଼ିକକୁ ଛାଡ଼ିଦେଲେ । ସେହି ଦିନରୁ ଇସ୍ରାଏଲ ଲୋକମାନେ ଏହି ଚମତ୍କାର ଉଦ୍ଧାରକୁ ମନେରଖିବା ପାଇଁ ପ୍ରତି ବର୍ଷ ଗୋଟିଏ ପର୍ବ ପାଳନ କରନ୍ତି, ଯାହାକୁ ନିସ୍ତାରପର୍ବ କୁହାଯାଏ ।
ନିଜ ପ୍ରଥମ ଜାତ ସନ୍ତାନକୁ ହରେଇଲା ପରେ ଫାରୋ, ମୋଶା ଓ ସମସ୍ତ ଇସ୍ରାଏଲୀୟଙ୍କୁ ମିସର ଦେଶକୁ ଛାଡ଼ି ଚାଲିଯିବାକୁ କହିଲେ । ଏହା ଶୁଣି ଯଥା ଶୀଘ୍ର ସେମାନେ ଏକାସଙ୍ଗରେ ଯାତ୍ରା କରିବା ପାଇଁ ଏକତ୍ରିତ ହେଲେ । ଫାରୋ ପୁଣି ମନ ପରିବର୍ତ୍ତନ କଲେ । ସେ ନିଜ ସୈନ୍ୟସାମନ୍ତ ଓ ରଥଗୁଡ଼ିକୁ ନେଇ ଇସ୍ରାଏଲୀୟମାନଙ୍କୁ ରୋକିବା ପାଇଁ ତାʼଙ୍କର ପିଛାକଲେ । ମନେ ହେଉଥିଲା, ଯେ ଇସ୍ରାଏଲୀୟମାନେ ଏବେ ଲାଲ ସମୁଦ୍ରକୁ ପାର ନ କରିପାରି ବିପଦ ଘେରରେ ଫସି ଯାଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟରୂପେ ଯିହେବା ସମୁଦ୍ରକୁ ଦୁଇଭାଗରେ ବିଭକ୍ତ କରି ଇସ୍ରାଏଲୀୟମାନଙ୍କୁ ସମୁଦ୍ର ମଧ୍ୟ ଦେଇ ଶୁଖିଲା ଭୂମିରେ ପାରକରାଇଲେ ! କିନ୍ତୁ ଯେତେବେଳେ ଫାରୋ ଓ ତାଙ୍କ ସୈନ୍ୟମାନେ ସମୁଦ୍ର ମଧ୍ୟରେ ପଶିଲେ, ଯିହୋବା ଦୁଇଭାଗ ପାଣିକୁ ମିଶାଇ ଦେଲେ, ଯାହାଫଳରେ ଫାରୋ ଓ ତାଙ୍କ ସୈନ୍ୟମାନେ ପାଣିରେ ବୁଡ଼ି ମରିଲେ ।
ଶେଷରେ, ଇସ୍ରାଏଲ ଏକ ସମୁହରୂପେ ସିୟୋନ ପର୍ବତ ନିକଟରେ ତମ୍ବୁ ପକାଇ ରହିବାକୁ ଲାଗିଲେ, ଯିହୋବା ସେମାନଙ୍କ ସହିତ ଏକ ଚୁକ୍ତି କଲେ । ଈଶ୍ୱର ମୋଶାଙ୍କୁ ମଧ୍ୟସ୍ଥିରୂପେ ବ୍ୟବହାର କରି ଇସ୍ରାଏଲୀୟମାନଙ୍କୁ ନିୟମ ଦେଇଥିଲେ, ଯାହା ସେମାନଙ୍କ ଦୈନିକ ଜୀବନରେ ଉପଯୋଗୀ ହେବା ସହିତ ସବୁ କ୍ଷେତ୍ରରେ ପଥ ପ୍ରଦର୍ଶକ ହେବ । ଯେଉଁ ପର୍ଯ୍ୟନ୍ତ ଇସ୍ରାଏଲୀୟମାନେ ବିଶ୍ୱସ୍ତତାର ସହିତ ଈଶ୍ୱରଙ୍କ ଶାସନ ଗ୍ରହଣ କରିବେ, ଯିହୋବା ସେମାନଙ୍କ ସହ ବାସ କରିବେ ଏବଂ ସେହି ଦେଶ ଦ୍ୱାରା ଅନ୍ୟମାନେ ଆର୍ଶୀବାଦ ପାଇବେ ।
କିନ୍ତୁ ଦୁଃଖର ବିଷୟ ହେଲା, ଯେ ଅଧିକାଂଶ ଇସ୍ରାଏଲୀୟମାନେ ଈଶ୍ୱରଙ୍କଠାରେ ନିଜ ବିଶ୍ୱାସକୁ ହରେଇ ବସିଲେ । ତେଣୁ ଯିହୋବା ସେମାନଙ୍କୁ ୪୦ବର୍ଷ ଧରି ମରୂଭୂମିରେ ଏଣେତେଣେ ଭ୍ରମଣକରାଇଲେ । ଏହା ପରେ ମୋଶା ବିଶ୍ୱସ୍ତ ପୁରୁଷ ଯିହୋଶୂୟଙ୍କୁ ସେମାଙ୍କର ନେତୃତ୍ୱ ନେବା ପାଇଁ ନିଯୁକ୍ତ କଲେ । ପରିଶେଷରେ ଇସ୍ରାଏଲୀୟମାନେ ସେହି ଦେଶରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଲେ, ଯେଉଁ ଦେଶ ପାଇଁ ଈଶ୍ୱର, ଅବ୍ରହାମଙ୍କୁ ପ୍ରତିଜ୍ଞା କରିଥିଲେ ।
—ଏହା ଯାତ୍ରାପୁସ୍ତକ; ଲେବୀୟପୁସ୍ତକ; ଗଣନାପୁସ୍ତକ; ଦ୍ୱିତୀୟ ବିବରଣ; ଗୀତସଂହିତା ୧୩୬:୧୦-୧୫; ପ୍ରେରିତ ୭:୧୭-୩୬ ଉପରେ ଆଧାରିତ ।