इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୬

ପରିବାରରେ ପିଲା ଜନ୍ମ ହେବା ପରେ ବୈବାହିକ ଜୀବନ କିପରି ବଦଳିଯାଏ

ପରିବାରରେ ପିଲା ଜନ୍ମ ହେବା ପରେ ବୈବାହିକ ଜୀବନ କିପରି ବଦଳିଯାଏ

‘ସନ୍ତାନଗଣ ଈଶ୍ୱରଙ୍କର ଉପହାର ।’—ଗୀତସଂହିତା ୧୨୭:୩, ଇଜି-ଟୁ-ରିଡ୍‌ ଭର୍ସନ

ପରିବାରରେ ଶିଶୁଟିଏ ଜନ୍ମ ହେବା ପରେ ପତି-ପତ୍ନୀଙ୍କ ଜୀବନରେ ଆନନ୍ଦ ଖେଳିଯାଏ । କିନ୍ତୁ ଏହା ସହିତ ସେମାନଙ୍କ ଜୀବନରେ ଏକ ବଡ଼ ଦାୟିତ୍ୱ ମଧ୍ୟ ଆସିଯାଏ । ବାପାମାʼ ହେବା ପରେ ଯେତେବେଳେ ଆପଣ ଜାଣନ୍ତି ଯେ ଆପଣଙ୍କ ଅଧିକାଂଶ ସମୟ ଓ ଶକ୍ତି ନିଜ ପିଲାର ଯତ୍ନ ନେବାରେ ଚାଲିଯିବ, ଏହା ବିଷୟରେ ଚିନ୍ତା କରି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । ପୂରା ନିଦ ନ ମିଳିବା ଏବଂ ଆପଣଙ୍କ ଭାବନା ଓ ଆବେଗରେ ପରିବର୍ତ୍ତନ ଆସିବା ଯୋଗୁଁ ଆପଣ ଦୁହିଙ୍କ ଜୀବନରେ ମାନସିକ ଉତ୍ତେଜନା ଦେଖାଦେଇପାରେ । ଆପଣଙ୍କ ପିଲାର ଯତ୍ନ ନେବା ସଙ୍ଗେ ସଙ୍ଗେ ନିଜ ବୈବାହିକ ସମ୍ପର୍କକୁ ମଧ୍ୟ ବଜାୟ ରଖିବା ପାଇଁ ଆପଣ ଦୁହିଙ୍କୁ ସାମାନ୍ୟ ପରିବର୍ତ୍ତନ କରିବାକୁ ପଡ଼ିବ । ଏହି ସମସ୍ୟାଗୁଡ଼ିକୁ ସାମନା କରିବାରେ ବାଇବଲର ସିଦ୍ଧାନ୍ତ କିପରି ଆପଣଙ୍କୁ ସାହାଯ୍ୟ କରିପାରିବ ?

୧ ଶିଶୁଟିଏ ଜନ୍ମ ହେବା ପରେ ଆପଣଙ୍କ ଜୀବନ କିପରି ବଦଳିଯାଏ, ତାହା ବୁଝନ୍ତୁ

ବାଇବଲ କʼଣ କହେ: “ପ୍ରେମ ଧୈର୍ଯ୍ୟବାନ ଓ ଦୟାବାନ ଅଟେ ।” ଏହା “କେବଳ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରେ ନାହିଁ” ଏବଂ “ବିରକ୍ତ ହୁଏ ନାହିଁ ।” (୧ କରିନ୍ଥୀୟ ୧୩:୪, ୫, NW) ପତ୍ନୀମାନେ, ମାʼ ହେବା ପରେ ଆପଣମାନଙ୍କ ପୂରା ଧ୍ୟାନ ପିଲାଙ୍କ ଲାଳନପାଳନରେ ଚାଲିଯିବା ସ୍ୱାଭାବିକ ଅଟେ । ଫଳରେ ଆପଣଙ୍କ ପତିଙ୍କୁ ହୁଏତ ଲାଗିପାରେ ଯେ ଆପଣ ତାଙ୍କ ପ୍ରତି ଅବହେଳା କରୁଛନ୍ତି । ତେଣୁ ଏହା ଭୁଲନ୍ତୁ ନାହିଁ ଯେ ଆପଣ ତାଙ୍କ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍‌ । ଧୈର୍ଯ୍ୟ ଓ ଦୟା ଦେଖାଇ ଆପଣ ନିଜ ପତିଙ୍କୁ ଏହା ବୁଝାଇପାରିବେ ଯେ ପିଲାର ଯତ୍ନ ନେବାରେ ସେ ମଧ୍ୟ ସାମିଲ୍‌ ଅଛନ୍ତି ଏବଂ ଏହି ଦାୟିତ୍ୱକୁ ତୁଲାଇବାରେ ଆପଣଙ୍କୁ ତାଙ୍କ ସାହାଯ୍ୟ ଦରକାର ।

‘ପତିମାନେ   ! ଆପଣ ନିଜ ପତ୍ନୀମାନଙ୍କ ସହିତ ଭଲ ବୁଝାମଣାରେ ଜୀବନଯାପନ କରନ୍ତୁ ।’ (୧ ପିତର ୩:୭, ଇଜି-ଟୁ-ରିଡ୍‌ ଭର୍ସନ) ଏହା ବୁଝିବାକୁ ଚେଷ୍ଟା କରନ୍ତୁ ଯେ ଆପଣଙ୍କର ପତ୍ନୀଙ୍କ ଅଧିକାଂଶ ସମୟ ପିଲାକୁ ଯତ୍ନ ନେବାରେ ଚାଲିଯିବ । ବର୍ତ୍ତମାନ ତାଙ୍କ ଉପରେ ନୂଆ ଦାୟିତ୍ୱ ଆସିଯାଇଛି, ଯାହାଫଳରେ ସେ ହୁଏତ ଶାରୀରିକ ଓ ମାନସିକ ଭାବେ କ୍ଳାନ୍ତ ହୋଇପଡ଼ନ୍ତି ଏବଂ ଏପରିକି ହତାଶ ହୋଇଯାʼନ୍ତି । ବେଳେ ବେଳେ ହୁଏତ ସେ ଆପଣଙ୍କ ଉପରେ ବିରକ୍ତ ହୋଇପାରନ୍ତି । ଏପରି ସମୟରେ ମଧ୍ୟ ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ, କାରଣ “ଯେ କ୍ରୋଧରେ ଧୀର, ସେ ବୀର ଅପେକ୍ଷା ଶ୍ରେଷ୍ଠ ।” (ହିତୋପଦେଶ ୧୬:୩୨) ବୁଝିବିଚାରି କାମ କରନ୍ତୁ ଏବଂ ତାଙ୍କୁ ସାହାଯ୍ୟ କରନ୍ତୁ ।—ହିତୋପଦେଶ ୧୪:୨୯.

ଆପଣ କʼଣ କରିପାରିବେ:

  • ପିତାମାନେ: ପିଲାର ଯତ୍ନ ନେବାରେ ନିଜ ପତ୍ନୀଙ୍କୁ ସାହାଯ୍ୟ କରନ୍ତୁ, ଏପରିକି ରାତିରେ ମଧ୍ୟ  । ଅନ୍ୟ କାମଗୁଡ଼ିକରେ କମ୍‌ ସମୟ ବିତାନ୍ତୁ, ଯାହାଫଳରେ ଆପଣ ନିଜ ପତ୍ନୀ ଓ ପିଲା ସହିତ ଅଧିକ ସମୟ ବିତାଇପାରିବେ

  • ମାଆମାନେ: ଯେତେବେଳେ ଆପଣଙ୍କ ପତି କହନ୍ତି ଯେ ପିଲାର ଯତ୍ନ ନେବାରେ ସେ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତାଙ୍କ ସାହାଯ୍ୟ ସ୍ୱୀକାର କରନ୍ତୁ । ଯଦି ସେ କୌଣସି କାମକୁ ଠିକ୍‌ ଭାବେ କରନ୍ତି ନାହିଁ, ତେବେ ତାଙ୍କ ଭୁଲ୍‌ ଧରନ୍ତୁ ନାହିଁ ବରଂ ଆଦରର ସହିତ ଦେଖାନ୍ତୁ ଯେ ସେହି କାମଟିକୁ କିପରି କରାଯାଏ

୨ ଆପଣଙ୍କ ସମ୍ପର୍କକୁ ମଜବୁତ୍‌ କରନ୍ତୁ

ବାଇବଲ କʼଣ କହେ: “ସେମାନେ ଏକାଙ୍ଗ ହେବେ ।” (ଆଦି ପୁସ୍ତକ ୨:୨୪) ଯଦିଓ ବର୍ତ୍ତମାନ ଆପଣଙ୍କ ପରିବାରରେ ଜଣେ ନୂଆ ସଦସ୍ୟ ଯୋଗ ଦେଇଛନ୍ତି, ତଥାପି ମନେରଖନ୍ତୁ ଯେ ଆପଣ ଓ ଆପଣଙ୍କ ଜୀବନସାଥୀ ଏବେ ମଧ୍ୟ “ଏକାଙ୍ଗ” ଅଟନ୍ତି । ସେଥିପାଇଁ ଆପଣଙ୍କ ସମ୍ପର୍କକୁ ଆହୁରି ମଜବୁତ୍‌ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ ।

ପତ୍ନୀମାନେ, ନିଜ ପତିଙ୍କ ସାହାଯ୍ୟ ଓ ସମର୍ଥନ ପ୍ରତି କୃତଜ୍ଞତା ଦେଖାନ୍ତୁ । ତାଙ୍କୁ ପ୍ରଶଂସା କରିବା ପାଇଁ ଆପଣ ଯେଉଁ ଶବ୍ଦଗୁଡ଼ିକ କହିବେ, ତାହା ଆପଣଙ୍କ ସମ୍ପର୍କ ପାଇଁ ‘ସ୍ୱାସ୍ଥ୍ୟକର’ ହୋଇପାରେ । (ହିତୋପଦେଶ ୧୨:୧୮) ପତିମାନେ, ନିଜ ପତ୍ନୀଙ୍କୁ କହନ୍ତୁ ଯେ ଆପଣ ତାଙ୍କୁ କେତେ ଭଲ ପାʼନ୍ତି ଏବଂ ତାଙ୍କର କେତେ ଆଦର କରନ୍ତି । ସେ ଯେପରି ଭାବେ ପରିବାରର ଯତ୍ନ ନିଅନ୍ତି, ତାʼ ପାଇଁ ତାଙ୍କୁ ପ୍ରଶଂସା କରନ୍ତୁ ।—ହିତୋପଦେଶ ୩୧:୧୦, ୨୮.

“କୌଣସି ଲୋକ କେବଳ ନିଜର ସ୍ୱାର୍ଥ ପାଇଁ ଚିନ୍ତିତ ହେବା ଉଚିତ୍‌ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ୍‌ ।” (୧ କରିନ୍ଥୀୟ ୧୦:୨୪, ଇଜି-ଟୁ-ରିଡ୍‌ ଭର୍ସନ) ସର୍ବଦା ଏପରି କାମ କରନ୍ତୁ, ଯାହା ଆପଣଙ୍କ ଜୀବନସାଥୀଙ୍କ ପାଇଁ ଉତ୍ତମ ଅଟେ । ପରସ୍ପର ସହିତ କଥା ହେବା, ପରସ୍ପରକୁ ପ୍ରଶଂସା କରିବା ଏବଂ ପରସ୍ପରର କଥା ଶୁଣିବା ପାଇଁ ସମୟ ବାହାର କରନ୍ତୁ । ଶାରୀରିକ ସମ୍ପର୍କ ରଖିବା କ୍ଷେତ୍ରରେ ସ୍ୱାର୍ଥପର ହୁଅନ୍ତୁ ନାହିଁ । ନିଜ ଜୀବନସାଥୀଙ୍କ ଆବଶ୍ୟକତାଗୁଡ଼ିକୁ ମଧ୍ୟ ଧ୍ୟାନରେ ରଖନ୍ତୁ । ବାଇବଲ କହେ: “ତୁମେ ପରସ୍ପରକୁ ଏହି ଅଧିକାରରୁ ବଞ୍ଚିତ କର ନାହିଁ, କିନ୍ତୁ ଯଦି . . . ଏପରି କରୁଛ, ତେବେ ଉଭୟଙ୍କ ସମ୍ମତିରେ କର ।” (୧ କରିନ୍ଥୀୟ ୭:୩-୫, NW) ତେଣୁ ଏହି ବିଷୟରେ ପରସ୍ପର ସହିତ ମନଖୋଲି କଥା ହୁଅନ୍ତୁ । ଧୈର୍ଯ୍ୟ ଦେଖାଇବା ଏବଂ ପରସ୍ପରକୁ ବୁଝିବା ଦ୍ୱାରା ଆପଣଙ୍କ ସମ୍ପର୍କ ଆହୁରି ମଜବୁତ୍‌ ହେବ ।

ଆପଣ କʼଣ କରିପାରିବେ:

  • ଆପଣ ଦୁହେଁ ପରସ୍ପର ସହିତ କିଛି ସମୟ ବିତାଇବା ପାଇଁ ଭୁଲନ୍ତୁ ନାହିଁ

  • ଆପଣ ନିଜ ଜୀବନସାଥୀଙ୍କୁ କେତେ ଭଲ ପାʼନ୍ତି, ତାହା ଜଣାଇବା ପାଇଁ କିଛି ବ୍ୟବହାରିକ ପଦକ୍ଷେପ ନିଅନ୍ତୁ, ଯେପରି ପରସ୍ପରକୁ ମେସେଜ୍‌ କରିବା କିମ୍ବା ଛୋଟ ଛୋଟ ଉପହାର ଦେବା

୩ ନିଜ ପିଲାକୁ ତାଲିମ୍‌ ଦିଅନ୍ତୁ

ବାଇବଲ କʼଣ କହେ: ‘ଯେଉଁ ଧର୍ମଶାସ୍ତ୍ର . . . ପରିତ୍ରାଣ ପାଇଁ ତୁମ୍ଭକୁ ଜ୍ଞାନ ଦେଇପାରିବ, ତାହା ତୁମ୍ଭେ ବାଲ୍ୟକାଳଠାରୁ ଜାଣିଅଛ ।’ (୨ ତୀମଥି ୩:୧୫) ପୂର୍ବରୁ ଯୋଜନା କରନ୍ତୁ ଯେ ଆପଣ ନିଜ ପିଲାକୁ କେମିତି ଶିଖାଇବେ । ଜନ୍ମ ହେବା ପୂର୍ବରୁ ହିଁ ପିଲାଙ୍କଠାରେ ଶିଖିବାର ଚମତ୍କାର ଦକ୍ଷତା ଥାଏ । ଆପଣଙ୍କ ପିଲା ମାଆ ଗର୍ଭରୁ ମଧ୍ୟ ଆପଣଙ୍କ ସ୍ୱରକୁ ଚିହ୍ନିପାରେ ଏବଂ ଆପଣ ଯେଭଳି ଅନୁଭବ କରନ୍ତି, ତାହା ତାʼ ଉପରେ ପ୍ରଭାବ ପକାଇପାରେ । ଆପଣ ନିଜ ପିଲାକୁ ଶିଶୁ ଅବସ୍ଥାରୁ ହିଁ ପଢ଼ି ଶୁଣାନ୍ତୁ । ଯଦିଓ ଆପଣ କʼଣ ପଢ଼ୁଛନ୍ତି ତାହା ସେ ବୁଝିପାରିବ ନାହିଁ, ତଥାପି ଆପଣ ଯଦି ଏପରି କରିବେ, ତେବେ ହୁଏତ ସେ ମଧ୍ୟ ବଡ଼ ହେଲେ ପଢ଼ିବାରେ ଆଗ୍ରହ ଦେଖାଇପାରେ ।

ଆପଣଙ୍କ ପିଲା ଯେତେ ଛୋଟ ହେଉ ନା କାହିଁକି, ଆପଣ ଈଶ୍ୱରଙ୍କ ବିଷୟରେ ଯେଉଁ କଥାବାର୍ତ୍ତା ହୁଅନ୍ତି, ତାହା ଶୁଣିବା ପାଇଁ ତାʼ ପାଖରେ ସାମର୍ଥ୍ୟ ଥାଏ । ତାʼ ସମ୍ମୁଖରେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ, ଯାହାଫଳରେ ସେ ମଧ୍ୟ ଶୁଣିପାରିବ । (ଦ୍ୱିତୀୟ ବିବରଣ ୧୧:୧୯) ଏପରିକି ତାʼ ସହିତ ଯେତେବେଳେ ଆପଣ ଖେଳନ୍ତି, ସେତେବେଳେ ମଧ୍ୟ ଯିହୋବାଙ୍କ ସୃଷ୍ଟି ବିଷୟରେ କଥା ହୁଅନ୍ତୁ । (ଗୀତସଂହିତା ୭୮:୩, ୪) ଯେପରି ଆପଣଙ୍କ ପିଲା ଧୀରେ ଧୀରେ ବଡ଼ ହେବ, ସେ ଜାଣିପାରିବ ଯେ ଆପଣଙ୍କ ହୃଦୟରେ ଯିହୋବାଙ୍କ ପ୍ରତି କେତେ ପ୍ରେମ ରହିଛି । ଫଳସ୍ୱରୂପ, ସେ ମଧ୍ୟ ଯିହୋବାଙ୍କୁ ପ୍ରେମ କରିବା ଶିଖିବ ।

ଆପଣ କʼଣ କରିପାରିବେ:

  • ଆପଣଙ୍କ ପିଲାକୁ ଭଲ ଭାବରେ ତାଲିମ୍‌ ଦେବା ନିମନ୍ତେ ବିଶେଷ କରି ବୁଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ

  • ଆପଣ ନିଜ ପିଲା ସାମନାରେ କିଛି ବିଶେଷ ଶବ୍ଦ ଓ କଥାଗୁଡ଼ିକୁ ବାରମ୍ବାର କହନ୍ତୁ, ଯାହାଫଳରେ ସେ ଶିଶୁ ଅବସ୍ଥାରୁ ହିଁ ଶିଖିବା ଆରମ୍ଭ କରିଦେବ